# ବୌଦ୍ଧିକ ଓଡ଼ିଆ କେଉଁ ପ୍ରାଚୀନ କାଳରୁ ଏଯାବତ୍ ଓଡ଼ିଆ ଭାଷାର ବିକାଶ ପର୍ବ ପ୍ରଲମ୍ବିତ । ପ୍ରଥମେ ସଂସ୍କୃତ, ପରେ ପରେ ବଙ୍ଗଳା ଓ ସଂପ୍ରତି ଇଂରାଜୀ ଓ ହିନ୍ଦୀ ଭାଷା ସହ ଦୀର୍ଘଦିନର ଅସ୍ତିତ୍ୱ ଜନିତ ସଂଘର୍ଷ-ସଙ୍ଘାତ ତଥା ଆହରଣ ଓ ସମୀକରଣ ଭିତର ଦେଇ ଓଡ଼ିଆ ଭାଷା ଅଧୁନା ଶାସ୍ତ୍ରୀୟ ମାନ୍ୟତା ଲାଭ କରି ସ୍ୱକୀୟ ସ୍ଥିତି ଓ ମର୍ଯ୍ୟାଦା ରଖିବାରେ ସଫଳ ଓ ସମର୍ଥ ହୋଇପାରିଛି । ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ପରେ ଆମ ପାଖରେ ଏହାର ସୁରକ୍ଷା ଓ ଅଭିବୃଦ୍ଧିର ଦାୟିତ୍ୱ ଅଧିକ ମାତ୍ରାରେ ବୃଦ୍ଧି ପାଇଛି । ଭାଷାକୁ କେବଳ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ ଓ ନାଟକପରି ସାହିତ୍ୟିକ ସୃଜନର ଚୌହଦୀ ଭିତରେ ସୀମିତ ନକରି ଏହାକୁ ଜ୍ଞାନର ବାହକ ରୂପେ ଉପଯୋଗ କରିବାକୁ ପଡ଼ିବ । ଓଡ଼ିଆ ଭାଷାରେ ବିଶ୍ୱବ୍ୟାପୀ ଜ୍ଞାନର ସମାବେଶ କରି ଏହାର ପରିସରକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବାକୁ ହେଲେ ଆମକୁ ପାରଂପରିକତାର ଶଗଡ଼ ଗୋଳାରୁ ମୁକ୍ତ ହେବାକୁ ପଡ଼ିବ । ତାହାହେଲେ ଯାଇ ଆମ ଭାଷା ଅଧିକ ସମୃଦ୍ଧ ଓ ବିକଶିତ ହୋଇପାରିବ । ଭାଷା, ଜାତୀୟ ଅସ୍ମିତାର ମୂର୍ତ୍ତିମନ୍ତ ପ୍ରକାଶ ଓ ପରିଚୟ । ଭାଷାର ବିକାଶ ଓ ସମୃଦ୍ଧି - ଏହାର ଆହରଣ ଓ ସମୀକରଣ ଯୋଗ୍ୟତା ଉପରେ ନିର୍ଭରଶୀଳ । ଯେଉଁ ଭାଷାର ବ୍ୟାବହାରିକ ଦିଗ ଯେତେ ବ୍ୟାପକ ଓ ସୁଦୂର ପ୍ରସାରୀ ତାହା ସେତେ ସମୃଦ୍ଧ ଓ ବିକଶିତ । ଜୀବନ-ଜୀବିକାଠୁ ଆରମ୍ଭ କରି କଳା, ସାହିତ୍ୟ ଓ ସଂସ୍କୃତି ଭିତର ଦେଇ ଏହାର ପ୍ରସାର ଓ ସଂଚରଣ । ଏବଂବିଧ ଉଦ୍ଦେଶ୍ୟକୁ ସଫଳ ଓ ସାକାର କରିବା ଉଦ୍ଦେଶ୍ୟରେ 'ବୌଦ୍ଧିକ ଓଡ଼ିଆ' ଓ୍ୱେବ୍ ପତ୍ରିକାର ପରିକଳ୍ପନା । ଅନ୍ୟ ଭାବରେ କହିଲେ 'ବୌଦ୍ଧିକ ଓଡ଼ିଆ', ସମକାଳୀନ ଉତ୍କଳୀୟ ଚିନ୍ତା-ଚେତନା, ଭାଷା-ସାହିତ୍ୟ ଓ ସଂସ୍କୃତିର ଡିଜିଟାଲ ଉପସ୍ଥାପନ ଦିଗରେ ଏକ ପ୍ରୟାସ । ଆଜିର ଜଗତୀକରଣ ଯୁଗରେ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସହାୟତାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିରେ ଯୁଗପୋଯୋଗୀ ଓ ବିଶ୍ୱତୋମୁଖୀ ଭାବଚେତନାର ସଂଯୋଗ-ସମନ୍ୱୟ ଦ୍ୱାରା ଆମକୁ ଏହାକୁ ଅଗ୍ରଗାମୀ ଓ ଋଦ୍ଧିମନ୍ତ କରିବାକୁ ପଡ଼ିବ । ନହେଲେ ଆମେ ପୁଣି ଅତୀତ ଇତିହାସର ପାଉଁଶ ତଳେ ବିସ୍ମୃତ କାହାଣୀ ହୋଇ ରହିଯିବା । 'ବୌଦ୍ଧିକ ଓଡ଼ିଆ', ପାରଂପରିକ ଶୈଳୀ ଓ ଭାବ ସହ ନବୀନ ଆଦର୍ଶ ଓ କଳା-କୌଶଳ ନିର୍ଭର । ଓଡ଼ିଆ ଭାଷାକୁ, ଏହା ଉତ୍କଳୀୟ ଜ୍ଞାନ-ବିଜ୍ଞାନର ବାହକ ଓ ପ୍ରଚାରକ ରୂପରେ ବ୍ୟବହାର କରିବ । ଭାଷା, ସାହିତ୍ୟ, ସଂସ୍କୃତି, କଳା, କୃଷି, ଶିଳ୍ପ, ବାଣିଜ୍ୟ, ରାଜନୀତି, ଅର୍ଥନୀତି, ଧର୍ମନୀତି, ଇତିହାସ, ପୁରାଣ ପରି ପ୍ରତିଟି କ୍ଷେତ୍ରକୁ 'ବୌଦ୍ଧିକ ଓଡ଼ିଆ' ଆପଣେଇ ନେବାର ଅପେକ୍ଷା ରଖେ। ଓଡ଼ିଆ ଜାତିର ଏହି ବହୁ ପ୍ରତୀକ୍ଷିତ ଆଶା-ଅକାଂକ୍ଷା ଓ ସ୍ୱପ୍ନକୁ ଚରିତାର୍ଥ କରିବାକୁ ହେଲେ ଆପଣମାନଙ୍କର ସାହାଯ୍ୟ-ସହଯୋଗ ଓ ଭଲପାଇବା ନିତାନ୍ତ ଆବଶ୍ୟକ । ସମାଜର ପ୍ରତ୍ୟେକ କ୍ଷେତ୍ରର ଲେଖକ ଓ ପାଠକଙ୍କୁ ଲିଖନ ଓ ପଠନର ପ୍ରଶସ୍ତ କ୍ଷେତ୍ର ଆଣିଦେବା ନିମନ୍ତେ ଏହା ପ୍ରତିଶ୍ରୁତିବଦ୍ଧ । ##### -ଜୟ ଜଗନ୍ନାଥ-